ବାର୍ତାବହ ପକ୍ଷୀର ଗୀତ | Song of the Messenger Bird

By and | 1 October 2016

Translated from the Lepcha to the English by Basudev Sunani

ମୋର ସୁନା ପୁଅ !
ଆଜି ଶୋଇବା ପୂର୍ବରୁ
ମୁଁ ତୋ ପାଇଁ ଚିଠି ଟିଏ ଳେଖି
ମୋର ଅତୀତ ବଖାଣିବାକୁ ଚାହେଁ

ଦିନେ ଗରାଖକୁ ଅପେକ୍ଷା କରି
ମୁଁ ବସିଥାଏ ଛତାତଳେ
ଏକ ଚୌକିଉପରେ

ରାସ୍ତାରେ ଅତ୍ୟଧିକ ଧୁଳି ହେତୁ
ମୁଁ ଆଖିବୁଜି ଦେଇଥାଏ,

ମନେପକା ତ’
ଏ ଦୃଶ୍ୟ ଦେଖି ତୋତେ କେମିତି ଲାଗନ୍ତl !
ହୁଏତ ତୁ ହସି ହସି କହନ୍ତୁ
ବାପା !
ତମେ ଶୋଇପଡୁଛ ଯେ !
କେମିତି ଦେଖିପାରିବ ତମ ଗରାଖକୁ !

ରାସ୍ତା ଆରକଡରେ
ଅତି କୋମଳ ଭାବରେ ଠିଆହୋଇଥିବା
ଗଛ ମାନଙ୍କ ପାଖରୁ
ଆଖି ବୁଜିଥିବା ଅବସ୍ଥାରେ ମୁଁ ଶୁଣିଲି ତା’କୁ,

ଏଥିପୂର୍ବରୁ
ମୁଁ କେବେବି ଶୁଣି ନଥିଲି ଏଭଳି ଗୀତ,

ମୁଁ ଆଖିଖୋଲି ଦେଖିଲି

ବିଚାରୀ ! ମ୍ରିୟମାଣ ଦେଖାଯାଉଥାଏ
ଅତି ନରମିଆଁ , ହାଲୁକା
ସତେ ଯେମିତି ନିଆଁ ର ଶିଖାରେ ଭାସି ଭାସି
ଜଳୁଥାଏ

ମୁଁ ଡାକପାରିଲି
“ ମା’ ତୁ’ ଚାଲି ଆ’ ଏବଂ କ୍ଷଣେ ବିଶ୍ରାମ ନେ’
ପ୍ରଥମେ ଆସ୍ତେ ଆସ୍ତେ
ପରେ ସାମାନ୍ୟ କ୍ଷିପ୍ରବେଗରେ
ସିଏ ନିରୋଳା ରାସ୍ତା ଡେଇଁ ଆସିଲା

“ମୋ ସାଙ୍ଗେ ଟିକେ ପିଉନୁ !
ମୋ ରୁଟିରୁ ଖଣ୍ଡେ ନେ’
ଆଜି ରୁଟି ଟିକିଏ ଶୁଖିଲା ଅଛି,
ଯାହାହେଉ
ଏହାକୁ ଚା’ ରେ ବୁଡେଇ ଖାଇପାରିବୁ”

ସିଏ ପ୍ରକୃତିସ୍ଥ ହେବାଯାଏ
ମୁଁ ଅପେକ୍ଷା କଲି,
ପରେ ଗରମ ଚା’ ଓ ବାସୀ ରୁଟି ଆଣିଦେଲି,

ସିଏ ମୋତେ ନିରେଖିଲା,
ମୁଁ ଯେମିତି କଲି, ସିଏବି ସେମିତି କଲା,

ଟାଣ ରୁଟି କୁ ଖଣ୍ଡ ଖଣ୍ଡ କଲା
ଏବଂ ଚା’ ରେ ଡୁବେଇ ନରମ କଲା,

ଓହୋ !
ସିଏ ଭୋକିଲା ଥିଲା ।

କହିଲି
“ ମୁଁ ଖୁବ ଆନନ୍ଦିତ ଯେ
ତୋ ପାଖରେ କିଛି କ୍ଷଣ ବସିବାର ସୁଯୋଗ ପାଇଲି”

ମୋତେ କିଛି କହିବା ପୂର୍ବରୁ
ସିଏ ମୁଣ୍ଡକୁ ଏପଟେ ସେପଟେ କଲା,
ମୁଁ ତା’ କଥା ଶୁଣିବା ପାଇଁ ଅର୍ଦ୍ଧନିମିଳିତ ହେଲି,
ଅତି ଆନନ୍ଦରେ ଶୁଣିଲି:

“ ମୁଁ ସେଇ ଜାଗାରୁ ଆସିଛି
ଯେଉଁଠି କେହି ଗୀତ ଗାଆନ୍ତିନି,
ଆମ ପୂର୍ବଜ ମାନେ
ବାର୍ତାବହ ପକ୍ଷୀର କାହାଣୀ ଶୁଣଉଥିଲେ,
ଲୋକେ ପକ୍ଷୀର ଗୀତ ଆଗ୍ରହରେ ଶୁଣୁଥିଲେ,
ଗୀତ ଶୁଣି ଖୁସିରେ କୁଣ୍ଢାକୁଣ୍ଢି ହେଉଥିଲେ
ନିଜଭିତରେ ଆଲୋଚନା କରୁଥିଲେ,
ଭୋଜିଭାତ କରି ଖାଉଥିଲେ,
ସତେ ଯେମିତି ଏଇଟା ତାଙ୍କର ଶ୍ରେଷ୍ଠ ଦିନ
ଏଭଳି ଖୁସିର ଦିନ ହୁଏତ ଆସି ନପାରେ
ଆସିଲେବି ୟା’ ଠୁ କମ ହୋଇପାରେ ।

ଏଭଳି ଅନୁଭବ କରି
ଗଭୀର ନିଦରେ ଶୋଇଯାଉଥିଲେ ।

ମୁଁ ଆଖି ଖୋଲି ତାକୁ ଅନେଇଲି,
ସିଏ ଅତି ଗାଢ ଓ ଚିରନ୍ତନ ଦେଖାଯାଉଥିଲା,

କହିଲି
“ ମାଁ ! ଆଉଟିକିଏ ଚା’ ଦେବି ?”
ମୋର ମନେ ଅଛି,
ସେଇ ଦିନ ସକାଳେଇଁ
ତୋର ମାମୁଁ ଆଣିଥିଲେ ତଟକା ମହୁ ମୋ ପାଇଁ,

ମନେ ଅଛି ନା !
ସେଇ ସୁନ୍ଦର ବଗିଚା, ଯେଉଁଠି ତୁ ଖେଳୁ ଥିଲୁ
ଏବଂ ମଜା କରୁଥିଲୁ ?
ତୁ ଯେ ତାଙ୍କର ମିଠା, ସୁନେଲି ମହୁକୁ ଭଲ ପାଉଥିଲୁ !

ସିଏ ଖାଇଲା,
କାହାଣୀ ପୁଣି ଲମ୍ବେଇବା ଆଗରୁ
ଆଗ ଅପେକ୍ଷା ଆଉ ଟିକିଏ ଅଧିକ ପିଇଲା,
“ ନୁଆ ଯୁଗ ଆସିଲା
ପିଲାମାନେ ବୁଢାମାନଙ୍କ କଥା ଏଣିକି ଶୁଣୁ ନାହାନ୍ତି,
ସେମାନେ କରୁଣ କାହାଣୀ ଶୁଣିବାକୁ
ପସନ୍ଦ କରୁ ନାହାନ୍ତି,
ପକ୍ଷୀର ଗୀତକୁ ଭୁଲିଯାଇଛନ୍ତି,

ଲୋକେ ବି ପକ୍ଷୀମାନଙ୍କ ଠାରୁ ଦୂରେଇଗଲେଣି
ପକ୍ଷୀ ଉପରକୁ ଟେକା ଫୋପାଡୁଛନ୍ତି,
ହତ୍ୟା କରୁଛନ୍ତି,
ବଡ, ସାନ, ରଙ୍ଗୀନ, ସାଦା
ସବୁ ପକ୍ଷୀଙ୍କୁ ଭୟ ଦେଖାଉଛନ୍ତି
ଅତଏବ ପକ୍ଷୀମାନେ ଗାଇବା ଛାଡି ଦେଲେଣି,

ସମୟ ବଦଳି ଯାଇଛି
ଏବେ ମା, ବାପା ପିଲାମାନଙ୍କୁ ତାଗିଦାକରୁଛନ୍ତି
ବନ୍ଦ କର !
ଗାଅ ନାହିଁ
ତମେ ଆଉ କ’ଣ ପକ୍ଷୀ ହେଇ ରହିଛ ?

ପିଲା ମାନେ ହସି ହସି କହୁଛନ୍ତି
“ ପକ୍ଷୀ ମାନେ ଗୀତ ଗାଆନ୍ତି ନାହିଁ “

ୟା ପରେ ମୋର ଅତିଥି
ତାଙ୍କ ବାଟରେ ଚାଲିଗଲେ,
ଏବେ ରାସ୍ତା ପୁଣି ନିରୋଳା ହେଇଗଲା,

ଭାବୁଛି !
ଆଜିଭଳି ଦିନରେ ତୁ ଭଲା
ଏ ପକ୍ଷୀର ଗୀତ ଶୁଣିବାକୁ ରହିଥାନ୍ତୁ !
ଅଥଚ ତୁ ବହୁ ଦୂରରେ,
ଯଦି ପକ୍ଷୀ ପରି ତୋର ବି ଡେଣା ଥା’ ନ୍ତା
ତୁ ଏଇଠିକି ଉଡି ଆସିଥାନ୍ତୁ !

ଏକ୍ଷେଣା
ମୁଁ ଖୁସିରେ ଶୋଇବାକୁ ଯାଉଛି
ପ୍ରାର୍ଥନା କରୁଛି
ତୁ ଯେଉଁ ରାସ୍ତାରେ ପାଦଦେଇଛୁ
ତୋର ଚଲାପଥ ସୁଗମ ହେଉ ମୋର ସୁନା ପୁଅ !
                    ବାପା ।

 


This entry was posted in 76: DALIT INDIGENOUS and tagged , . Bookmark the permalink.

Related work:

Comments are closed.